Unknown

 

 

 

 

 

 

 

 

 

ମହିମ୍ନ ସ୍ତବର ଅନୁଭୂତି

ଦ୍ଵିତୀୟ ଖଣ୍ଡ

କୃଷ୍ଣପ୍ରସାଦ ବସୁ

 

କବିମଞ୍ଜୁଳ

 

ଓଁ ଧ୍ୟାୟେନ୍ନିତ୍ୟଂ ମହେଶଂ ରଜତଗିରିନିଭଂ

ଚାରୁଚନ୍ଦ୍ରାବତଂସଂ

ରତ୍ନାକଳ୍ପୋଜ୍ଜ୍ୱଳାଙ୍ଗଂ ପରଶୁମୃଗବରା

ଭୀତିହସ୍ତଂ ପ୍ରସନ୍ନମ୍

 

ପବ୍ଲାସୀନଂ ସମନ୍ତାତ୍ ସ୍ତୁତମମରଗଣୈ-

ବ୍ୟାଘ୍ରକୃତ୍ତିଂ ବସାନଂ

ବିଶ୍ଵାଦ୍ୟଂ ବିଶ୍ଵବୀଜଂ ନିଖିଳ ଭୟହରଂ

ପଞ୍ଚବକ୍ତ୍ରଂ ତ୍ରିନେତ୍ରଂ

 

ଓ ନମଃ ଶିବାୟ

ନିବେଦନ

 

ଭକ୍ତଶେଖର ଗନ୍ଧର୍ବରାଜ ଶ୍ରୀ ପୁଷ୍ପଦନ୍ତ ସଦମ୍ଭେ ବ୍ୟକ୍ତ କଲେ, ମୋ ମହମ୍ନ ପରି ସ୍ତବ ନାହିଁ । ସମଗ୍ର ହିନ୍ଦୁ ଜଗତ ମଧ୍ୟ ସେହି କଥା ସ୍ଵୀକାର କରି ଏଯାଣଁ ଶିରୋଧାର୍ଯ୍ୟା କରିଛନ୍ତି ନିର୍ବିରୋଧେ-

 

ସତି ଶିବାଳୟରେ, ପ୍ରତି ଭକ୍ତ-ହୃଦୟରେ ତହିଁର ଝଙ୍କାର ସେହି ପ୍ରାଚୀନ ଆବହମାନ କାଳରୁ ଏଯାଏଁ ଅନୁଭୂତ ହେଉଛି ।

 

ସେଥିର ମର୍ମମାନ କେହି ବୁଝିପାରନ୍ତି, କେହି ବା ବୁଝିପାରନ୍ତି ନାହିଁ; କିନ୍ତୁ ‘ମହିମ୍ନ –’ ନାମରେ ପ୍ରତି ମଥା ନଇଁପଡ଼େ, ଏଥିରେ ସନ୍ଦେହ ନାହିଁ ।

 

କାହିଁକି ? କି ଅସାଧାରଣ ବିଷୟବସ୍ତୁ ଏଥିରେ ଅଛି ? ଏହା ହିଁ ପ୍ରତ୍ୟେକେ ପଚାରନ୍ତି । ସେ ପ୍ରଶ୍ନ ସମାଧା କରିବା ବଡ଼ କଠିନ।

 

କି ଜ୍ଞାନୀ ତତ୍ତ୍ଵଜ୍ଞ, କି ଜଡ଼ବୁଦ୍ଧି ମୂର୍ଖ ସାଧାରଣ, ଉଭୟ ଶ୍ରେଣୀଙ୍କର ଆନନ୍ଦଦାୟକ ବହୁ ବ୍ୟାପାରର ବର୍ଣ୍ଣନା ଏଥିରେ ଅଛି । କି ଦ୍ଵୈତବାଦୀ, କି ଅଦ୍ଵୈତବାଦୀ, କି ସାକାରଧ୍ୟାୟୀ, କି ନିରାକାର ଉପାସନାକାରୀ, କି ସଂସାର-ଅନୁରକ୍ତ ବିଷୟୀ, କି ବିରକ୍ତ ସନ୍ନ୍ୟାସୀ – ପ୍ରତି ଶ୍ରେଣୀଙ୍କ ଲାଗି ଥୁଆ ହୋଇଛି ପ୍ରଚୁର ଉପାଦାନ ଏହି ସ୍ତବରାଜ ମଧ୍ୟରେ ।

 

ଅଧିକନ୍ତୁ ଏଥିର ଭାବ ଓ ଭାଷା ଏପରି ଓତପ୍ରୋତ ଭାବେ ଜଡ଼ିତ ଏବଂ ଶୁଣୁ ଶୁଣୁ ଏତେ ଶୀଘ୍ର ପ୍ରଭାବ ବିସ୍ତାର କରେ ଯେ ତାହା ଅପର ସ୍ତ୍ରୋତ୍ରମାନଙ୍କରେ ମିଳିବା ଦୁରୂହ । ସେହି ଆଧ୍ୟାତ୍ମ କୁହୁକଟିକକ ହିଁ ଏ ସ୍ତବର ବିଶେଷତ୍ୱ ।

 

ଏପରିକି ଶିବଙ୍କ ଉଦ୍ଦେଶ୍ୟେ ରଚିତ ଏ ଶ୍ଳୋକମାନଙ୍କର ଉପାଦେୟତାରୁ ହରିଙ୍କୁ ବଞ୍ଚିତ କରିବା ବାଞ୍ଛନୀୟ ନୋହେ, ଭାବି ହିଁ ଏଥିର ଗୋଟିଏ ହରି ପକ୍ଷେ ଟୀକା ମଧ୍ୟ ବିବୁଧମାନେ କଳ୍ପନା କରି ସାରିଛନ୍ତି ; କିନ୍ତୁ ସେ ଟୀକାମାନ ଯେ ଜବରଦସ୍ତି ନଦି ଦିଆହୋଇଛି, ତାହା ପାଠମାତ୍ରେ ଧରାପଡ଼େ ।

 

ଯାହାହେଉ, ବଜାରରେ କ୍ଷୁଦ୍ର ଗ୍ରନ୍ଥ ମଧ୍ୟରେ ଯେଉଁ ଟୀକା ଅଛି, ସେମାନ ପ୍ରାୟ ସେହି ସଂସ୍କୃତ ଶବ୍ଦମାନଙ୍କର ରୂପାନ୍ତର ମାତ୍ର । ତହିଁରୁ ସାଧାରଣ ଝିଅବୋହୂ ତଥା ଅପାଠୁଆ ବା ଦରପାଠୁଆ କିଛି ବୁଝି ହୃଦୟଙ୍ଗମ କରିବେ, ଏ ପ୍ରକାର ଆଶା କରିବା ବିଡ଼ମ୍ବନା ମାତ୍ର । ପୁଣି ବିସ୍ତୃତ ଟୀକା ସମ୍ବଳିତ ଗ୍ରନ୍ଥ ମଧ୍ୟ ଆମ ଭାଷାରେ ଦେଖାଯାଉ ନାହିଁ ।

 

ବାସ୍ତବରେ କତିପୟ ଶ୍ଳୋକମାନଙ୍କର ଟୀକା ସାଂଖ୍ୟ ବେଦାନ୍ତ ଉପନିଷଦ ତଥା ଯୋଗ ଉପରେ ଏତେ ନିର୍ଭର କରୁଛି ଯେ ସେମାନଙ୍କୁ ଉପଲବ୍‌ଧି କରି ହୃଦୟଙ୍ଗମ କରିବା ଆମ ଭଳିଆ ଯୋଗାଦି ବ୍ୟାପାରରେ ଅନଭିଜ୍ଞ ଅଦାର୍ଶନିକଙ୍କ କ୍ଷୁଦ୍ର ଦୃଷ୍ଟି ଓ କ୍ଷୁଦ୍ର ବୁଦ୍ଧି ପକ୍ଷରେ ଏକାନ୍ତ ଅସମ୍ଭବ କଥା ।

 

ଜାଣେ, ମୁଁ ଏକାନ୍ତ ଅନଭିଜ୍ଞ ଓ ଏଥିର ଟୀକା କେହି ସିଦ୍ଧହସ୍ତଙ୍କଠାରୁ ବାହାରିବା ଉଚିତ; ତଥାପି ହସ୍ତକ୍ଷେପ କରିବାକୁ ସାହସୀ ହେଲି –ନିଜର ପ୍ରୟୋଜନବୋଧେ, ନିଜର ନାତୁଣୀମାନଙ୍କୁ ଶିକ୍ଷା ଦେବାଲାଗି –। କିନ୍ତୁ ତାହାହିଁ ବିବୁଧ ତଥା ସର୍ବସାଧାରଣଙ୍କ ହୃଦୟଗ୍ରାହୀ ହେବାରୁ ପ୍ରକାଶ କଲି ।

 

ଏହାକୁ ବିଶୁଦ୍ଧ ଅନୁବାଦ ଭାବିଲେ ନିଶ୍ଚୟ ଭୁଲ ହେବ । ତେଣୁ ଏଥିର ନାମ ‘ଅନୁଭୂତି’ ରଖାଗଲା । ମହିମ୍ନ ପାଠ କରୁ କରୁ ବାସ୍ତବରେ ମର୍ମକ୍ଷେତ୍ରରେ ଯେଉଁ ଭାବର ସ୍ପଦନ ଅନୁଭବ କରିଛି, ସେହିମାନ ହିଁ ବ୍ୟକ୍ତ କରିଛି ସରଳ ପଦ୍ୟାକାରେ--।

 

ପାଠକବର୍ଗେ ଜାଣିବେ ଉପକୃତ ହେଲେ ତାହା ହିଁ ହେବ ମୋ ପକ୍ଷରେ ଲକ୍ଷେ- ତାହା ହିଁ ଭାବିବି ପ୍ରଭୁଙ୍କର ଆଶୀର୍ବାଦ --।

 

ମହିମା କଣ ? -ଯେଉଁ ଶକ୍ତିବଳରେ ଶିବ ସ୍ୱକାୟାକୁ ସମଧିକ ବିସ୍ତୃତ କରି ଅଧଃ ଊର୍ଦ୍ଧ୍ୱ ଚାରିଆଡ଼କୁ ଲମ୍ବାଇ ପାରନ୍ତି, ସେହି ବିରାଟ ବିଭୂତି କା କ୍ଷମତାର ନାମ ମହିମା । ଏ ସ୍ତବରେ ଅଲୌକିକ ଶକ୍ତିର ବର୍ଣ୍ଣନା ଅଧିକ ଥିବାରୁ ଏଥିର ନାମ ମହିମ୍ନ ସ୍ତବ ।

 

ମହିମ୍ନ ସ୍ତବର ଅନୁଭୂତି

।୧।

“ମହିମ୍ନଃ ପାରଂ ତେ’’

 

ଶକତି ସ୍ଵରୁପ ମହିମା ନ ଜାଣି

ବାହୁନିଲେ ଗୁଣ ପଣ

ଧୃଷ୍ଟ ଅର୍ବାଚୀନ ବୋଲିବ ଯଦ୍ୟପି

ବ୍ରହ୍ମାବିଷ୍ଣୁ ଦେବଗଣ-

 

ଚରାଚର ସୃଷ୍ଟି ତପସ୍ଵୀ ମଣ୍ଡଳେ

କେ ଚିହ୍ନିଛି କହ ସତ ?

ତେବେ କିପାଁ କହ ମୋର ଏ କବିତା

ନୋହେ ବିବୁଧସମ୍ମତ ।

 

ଗତି-ବୁଦ୍ଧି –ଜ୍ଞାନ ଯା’ର ଯେତେଦୂର

ସେ ସିନା କହିବ ତେତେ

ଅସୀମ ତୁମ୍ଭଙ୍କୁ ସସୀମ କରୁଛି

ଲଜ୍ଜା କିପାଁ ହେବ ମୋତେ ।

 

।୨।

‘ଅତୀତପନ୍ଥାନଂ’

ବଚନେ ତୋ ଗୁଣ ବର୍ଣ୍ଣି କେ ପାରିବ

ଧ୍ୟାନାତୀତ ତୁ ଦେବତା

ଘଟପଟାଦିରେ ଏ ନୋହେ ସେ ନୋହେ

ବିଚଳିତ ବେଦ ମଥା ।

ସଗୁଣ ତୁ ହେଲେ ଅକଳନ ଗୁଣ

ନିର୍ଗୁଣ ନୋହେ ଗୋଚର

ନିରୋଳ ସରଳ ପଥ ମୁଁ ଧରିଲି

ମୋ ଲାଗି ତୁମ୍ଭେ ସାକାର ।

ବୃଷଧ୍ଵଜ ଅବା ଚନ୍ଦ୍ର ମୌଳିରୂପେ

କ୍ଷୁଦ୍ର ବୁଦ୍ଧି କ୍ଷୁଦ୍ର ଦୃଷ୍ଟି

ମାନବୀ ଲୀଳାରେ କଳିବାକୁ କ୍ଷମ

ନାହିଁ ତତୋଧିକ କୃଷ୍ଟି ।

କେବଳ କି ବଡ଼ ? କ୍ଷୁଦ୍ର ନୋହି ଜାଣ

କ୍ଷୁଦ୍ରଙ୍କ ପୂଜା ନେବାକୁ ?

 

ଗରିବ ମୂରୁଖ ପତିତ ଯେ ଥିବେ

ହେଉଥିବେ ଆକୁପାକୁ ।

 

।୩।

“ମଧୁସ୍ଫି ତାବାଚ”

ମଧୁମୟପଦ ଅମୃତ ଆସ୍ଵାଦ

ବେଦ ମଧ୍ୟେ ଯା’ ବ୍ୟକତ

ତୁମ୍ଭ ସେ ରଚନା ସୌଷ୍ଠବ କଳ୍ପନା

ଧାତା ଶାରଦା ଅଜ୍ଞାତ ।

 

ଅବା କବିଗୁରୁ ବୁଦ୍ଧିକି ସେ ଗରୁ

ସେତ ନ ପାରନ୍ତି ଭେଦି

ସ୍ଥାନ କାହିଁ ତହିଁ ମୁହିଁ ମୂଢ଼ ପାଇଁ

ମୁଁ ଜାଣିବି ପୂଜାବିଧି ।

 

ନୁହେଁ ମୁଁ ମୂରୁଖ ସ୍ତୁତି କଉଶଳେ

ପାରିବି ତୁମ୍ଭଙ୍କୁ ମୋହି

କରି ଦଶୀଭୂତ ଖସାଇ ଦାୟିତ୍ୱ

ତୁମ୍ଭଙ୍କୁ ଯିବି ଦୁହାଁଇ ।

 

ତୁମ୍ଭ ଗୁଣ ଗାଥା ଗାଇଲେ ରସନା

ସୂତୁଣ୍ଡ ହୋଇବ ମୋର

ମାତ୍ର ତେତକରେ ମୋ ପେଟ ଭରିବ

ତେଣୁ ସିନା ଆଗଭର ।

 

।୪।

“ତବୈଶ୍ଵର୍ଯ୍ୟଂଯତ୍ନାତ୍”

ଶତ ଏହିପରି ଜଗତ ଆସୁଛି

ନିଭୁଛି ପ୍ରଳୟ କୋଳେ

ସୃଷ୍ଟି ସ୍ଥିତି ଲୟ କ୍ଷେମ ଅପଚୟ

ସବୁ ତୋ ଇଙ୍ଗିତେ ଖେଳେ ।

 

ଋକ ସାମ ଯଜୂଃ ସତ୍ତ୍ଵ ରଜ ତମଃ

ତ୍ରିବେଦ ତ୍ରିଗୁଣ ତୁହି ।

ଅଭବ୍ୟ କେତେକ ବୋଲନ୍ତି ପ୍ରତ୍ୟକ୍ଷ

ଭ୍ରାନ୍ତି ପ୍ରବଞ୍ଚନା ଏହି ।

 

ଅବିବେକ ଥୋକେ ଭ୍ରମନ୍ତୁ ପଛକେ

କାର୍ଯ୍ୟକୁ କାରକ ଥାଇଁ

 

ସ୍ଥିର-ଧୀର-ବୁଦ୍ଧି ଆକାଶ ପ୍ରପଞ୍ଚେ

ଚରାଚରେ ଦେଖୁଛଇଁ ।

 

।୫।

“କିମୀହଃ କିଂ କାୟଃ”

ଥୋକେ କେ ବୋଲନ୍ତି କିବା ପ୍ରୟୋଜନେ

କି ଚେଷ୍ଟାରୁ ତ୍ରିଭୂବନ

କି ଆଧାର କାହିଁ କି ଆୟୁଧ ତହିଁ

କି ରୂପ ସେ ଭଗବାନ ?

 

କି ଯନ୍ତ୍ର କି ମନ୍ତ୍ର କି ଉପକରଣ

କାହିଁ ଥିଲା ଅଧିଷ୍ଠାନ ?

ବିତଣ୍ଡ ବଚନ ଭ୍ରାନ୍ତିର ସୋପାନ

ଅବିଶ୍ୱାସ ଆସ୍ଫାଳନ ।

 

କୁବିଦ୍ୟା କୁବୁଦ୍ଧି ତର୍କାତୀତ ଧନ

ମର୍ମେ ମାତ୍ର ଅନୁଭୂତି

ଯେ ଜାଣେ ସେ ଜାଣେ ମଜ୍ଜି ଅନୁକ୍ଷଣେ

ସେହି ଲଭେ ଦିବ୍ୟଜ୍ୟୋତି ।

 

।୬।

“ଅଜନ୍ମାନୋ ଲୋକାଃ”

କାୟାଧୀରୀ କେହି ଉତ୍ପତ୍ତି ନ ଥାଇ

ହୋଇପାରିଛି କି ଦେହୀ ?

ସେ ଉତ୍ପତ୍ତି ପାଇଁ କର୍ତ୍ତା କେହି ନାହିଁ

ହାସ୍ୟାସ୍ପଦ କଥା ଏହି ।

 

ନାନା ଭିନ୍ନ ବସ୍ତୁ ସଂଯୋଗ ଫଳରେ

ନବ ବସ୍ତୁ ହୁଏ ଜାତ

ବସ୍ତୁ ମାତ୍ର ପୁଣି ବିଚ୍ଛିନ୍ନ ହୁଅନ୍ତେ

ଭିନ୍ନ ଶକ୍ତି ପ୍ରତିଭାତ ।

 

କେ ଦେଲା ଏ ରୀତି କେ ଦେଲା ଏ ଗୁଣ

ତଥାପି ବୋଲନ୍ତି ‘ନାହିଁ’ –

ବାତୁଳ ଜଲକା ଏ ନୋହିବେ ଯେବେ

କାହାକୁ ବୋଲିବା କାହିଁ ?

 

।୭।

“ତ୍ରୟୀ ସାଙ୍ଖ୍ୟଂ ଯୋଗଃ”

ଈଶ୍ଵର ତ ଜଣେ ବିଶୁଦ୍ଧ ସୁଜ୍ଞାନେ

ଟଣାଭିଡ଼ା କିପାଁ ଏତେ

ଶାକ୍ତ ସୌର ଶୈବ ବୈଦିକ ବୈଷ୍ଣବ

ଦ୍ଵନ୍ଦ ଜାତ ନୋହେ କେତେ ।

 

ଯେ ଯାହା ମାରଗ ଟେକନ୍ତି ସ୍ଵରଗ

ସବୁ ପଥ ଏକାକାର

ଏକା ନୀଳାମ୍ବୁଧି ମଧ୍ୟେ ଲୀନ ହୁଏ

ଯଥା ନଦ ନଦୀ ଝର ।

 

ଚିତ୍ତଶୁଦ୍ଧି ମୂଲ ତହିଁକି ସକଳ

ପଦ୍ଧତି ମାତ୍ର କୌଶଳ

ଆପେ ନ ବୁଡ଼ିଲେ ସ୍ଥଳେ ଗଡ଼ୁଥିଲେ

ସନ୍ତରି ପାରି କି ଜଳ ?

 

ରୁଚିଭେଦ ନାନା ପଥର କଳ୍ପନା

କେହି ଉଚ୍ଚ ନୋହେ ହୀନ

 

ଯା’ର ଯେଉଁ ପଥ, ଶୁଚି ମନୋରଥ

ସେ ତହିଁ କି ଦେଉ ଧ୍ୟାନ ।

 

।୮।

“ମହୋକ୍ଷଃ ଖଟ୍ଵାଙ୍ଗ”

ଦେବାଧିଦେବ ମହାଦେବ ବୋଲାଇ

ଦିଗମ୍ବର ବୁଲୁଥାଇଁ

ଖଟ୍ଵାଙ୍ଗ ପରଶୁ ବଳିବର୍ଦ୍ଦ ବିନା

ଆନ କିଛି ଦିଶୁନାହିଁ ।

 

ବୋଳି ଚିତାଭସ୍ମ ଅହିଗଜ ଚର୍ମ

କପାଳ ପାତ୍ର ଧାରଣ

ଏହି ପରିଚ୍ଛଦ ଏହି ଗୃହ ସଂସ୍ଥା

ହସିବେ ଦେଖିଲା –ଜନ ।

 

ଇନ୍ଦ୍ର ଚନ୍ଦ୍ର ବାୟୁ ବରୁଣ ସବିତା

କି ଧନେ ନୁହନ୍ତି ଧନୀ

କେ ନ ଜାଣେ କା’ର କଟାକ୍ଷ କୃପାରୁ

ସୌଭାଗ୍ୟରେ ଅଭିମାନୀ ।

 

ଆତ୍ମାରାମ ଜ୍ଞାନୀ ସୁଖ ଦୁଃଖ ଗ୍ଳାନି

ଦୃଷ୍ଟି ତ ନଥାଏ ତେଣେ

ଆଲୋକ ଅନ୍ଧାର ବର୍ଜିତ ବିକାର

ସନ୍ତୋଷର ସିନ୍ଧୁ-ସ୍ନାନେ।

 

।୯।

“ଧ୍ରୁବଂ କଶ୍ଚିତ୍ ସର୍ବଂ”

କେ ବୋଲେ ଜଗତ ଏ ନିତ୍ୟ ପଦର୍ଥ

ଅନିତ୍ୟ ବୋଲନ୍ତି କେହି

ନିତ୍ୟବସ୍ତୁ କିଛି ଥିଲେ ଥିବ ପରା

ସନ୍ଦିଗ୍‌ଧ ବଚନ କହି ।

 

ବିସ୍ମିତ ହେବାର କିଛି ନାହିଁ ଏଥି

ତଥାପି ମୁଁ ଭ୍ରମୁ ନାହିଁ

ଜାଣେ ମାତ୍ର ତୁମ୍ଭେ ନିତ୍ୟ ନିରଞ୍ଜନ

ତୁମ୍ଭ ରୂପ ସବୁଠେଇଁ ।

 

ନିଲ୍ଲଜ୍ଜ ବାଚାଳ ଅବା ବୁଦ୍ଧି ସ୍ଥୂଳ

ହୁଏଁ ପଛେ, ତୁମ୍ଭ ନାମ-

 

ବ୍ୟର୍ଥ କି ସାରଥ ବୁଝେନାହିଁ କିଛି

ଜାଣେ ତୁ ଆନନ୍ଦ ଧାମ ।

 

।୧୦।

“ତବୈଶ୍ଵର୍ଯ୍ୟଂ ଯତ୍ନାଦ୍”

ତୋ ମହିମା ଅନ୍ତ କାହିଁ କେତେ ଦୂର

କଳିବା ମନାସି ଥରେ

ଊର୍ଦ୍ଧ୍ଵେ ଗଲେ ଧାତା ବିଷ୍ଣୁ ଅଧୋଦେଶେ

ଚଳିଲେ ଅତି ପ୍ରଖରେ ।

 

ନବୀନ ନବୀନ ତା’ ପଛେ ନବୀନ

ସୀମାହୀନ ନାହିଁ ପଥ

ପାଦ ନ ଚଳିଲା ଧ୍ୟାନ ନ ଖେଳିଲା

ଭୂଆଁବୁଲା ବୁଦ୍ଧିହତ ।

 

ତ୍ରାହି କର ମୋର ଆସ୍ପର୍ଦ୍ଧା ଅସାର

ଧୃଷ୍ଟବୃଦ୍ଧି ଜାତ ଦମ୍ଭ

କେମନ୍ତେ ଫେରିବି କେମନ୍ତେ ତରିବି

ଅସୀମ –ଲୀଳା –କଦମ୍ବ ।

 

ଭକ୍ତି ଶ୍ରଦ୍ଧା ପୂତ ଅନ୍ତରେ ଜାଗ୍ରତ

ଚିହ୍ନିଲି ତୁ ଭୂତନାଥ

ଅଥଳ ଅକୂଳ ଅକାତ ଜଳରେ

କର୍ଣ୍ଣଧାର ତୁ ସାକ୍ଷାତ ।

 

।୧୧।

“ଅଯତ୍ନାଦାସାଦ୍ୟ

କାହୁଁ ଏତେ ବଳ ବିକ୍ରମ ସମ୍ବଳ

ଲଙ୍କାଧିନାଥ ରାବଣ

ସାରା ତ୍ରିଭୁବନ କଲା ବୈରିହୀନ

ପରିଚାର ସୁପର୍ବାଣ ।

 

ଗାତ୍ର କଣ୍ଡୁୟନ ରଣ ଉଦ୍ଦୀପନ

କେହି ନାହିଁ ପ୍ରତିପକ୍ଷ

ଚନ୍ଦ୍ର ସୂର୍ଯ୍ୟ ତାରା ବ୍ୟୋମ ପରମ୍ପରା

କେହି ନ ହୋଇଲେ ଲକ୍ଷ୍ୟ ।

 

ଭକତିବିହଳ ନିଜ ମୁଣ୍ଡମାଳ

ଛେଦି ଦେଲା ଅର୍ଘ୍ୟାଞ୍ଜଳି

 

ନିଷ୍ଠାପରଙ୍କର ପରା ପୁରସ୍କାର

ପୁଞ୍ଜୀଭୁତ ଶକ୍ତି ଝଳି ।

 

।୧୨।

“ଅମୂଷ୍ୟ ତ୍ୱତ୍‌ ସେବା”

ସେହି ରଣକଣ୍ଡୁ ତୃପତ ନୋହିଲା

ଦୁନିର୍ବାର ବାହୁବଳ

କୈଳାସ ସଙ୍ଗତେ ଶିବ ଗଉରୀଙ୍କି

ଝିଙ୍କି ଆଣିବ ସେ ଖଳ ।

 

ସେବ୍ୟ ସେବକଙ୍କୁ ଗର୍ହିତ ଏ ଭାବ

ଦୋହୋଲାନ୍ତେ ଗିରିବର

ମାତ୍ର ପାତାଙ୍ଗୁଷ୍ଠ ଅଳପେ ଟିପନ୍ତେ

ଖସିଲା ଦୁଷ୍ଟ ପାତାଳ ।

 

ଚିପି ହୋଇ ତ୍ରାହି ତ୍ରାହି ରବ ଛାଡ଼େ

ହସିଲା ସଉାରା ଦୁନିଆ

ପାତାଳବାସୀଙ୍କ ସୌଭାଗ୍ୟ ଫିଟିଲା

ଜଲିଲା ଚନ୍ଦ୍ରଉଦିଆ ।

 

କ୍ଷମତା ପାଇଲେ ଖଳ ଲୋକଙ୍କର

ମଦ ଗର୍ବ ଅସହନ

ପାସୋରି ପକାନ୍ତି ପୂର୍ବକଥାମାନ

ପ୍ରଭୁଙ୍କୁ ଭାବନ୍ତି ଦୀନ ।

 

।୧୩।

“ଯଦୃଦ୍ଧିଂ ସୂତ୍ରାମ୍‌ଣୋ”

ବାଣ ଥିଲେ ରାଜା ବିଶ୍ଵସାରା ପୂଜା

ଗୁଣ ପଣ ଶୀର୍ଷତମ

ଥାଉ ଆନ କଥା ପାଦତଳେ ଯା’ର

ଖଟୁଥିଲେ ଇନ୍ଦ୍ର ଯମ ।

 

ବଡ଼ କଥା ନୋହେ ଅନଘ ସୁନ୍ଦର

କେ ନ ଜାଣେ ଏ ଭୂତଳେ

ତୋ ପାଦଧୂଳିକି ଶିୟରେ ବୋଳିକି

କେହି ରହିଛି ବିକଳେ .

 

ମୂଲକୁ ବାଚାଲ, ପଙ୍ଗୁକୁ ସଚଳ

କରାଇବା ତୋତେ କେତେ

 

ସ୍ୱପାକ ଜଳ୍ପାକ ହୁଏ ମଧୁପାକ

ତା’ ତୁଣ୍ଡ ବଚନ ଯେତେ ।

 

।୧୪।

“ଅକାଣ୍ଡ ବ୍ରହ୍ମାଣ୍ଡ”

ଯିବ ପରା ପୋଡ଼ି ଏ ସାରା ବ୍ରହ୍ମାଣ୍ଡ

ଗରଳର ଶିଖାନଳେ

ଆତଙ୍କଭଞ୍ଜନ ! ତରସ୍ତେ ଧାଇଁଲ

ଗିଳିଦେଲ ଅବହେଳେ ।

 

ନୀଳକଣ୍ଠ ! ତବ ଅଦ୍ୟାପି ରାଜୁଛି

ପୋଡ଼ା ଦାଗ ଛିଣ୍ଡି ନାହିଁ

ସେହି ବଡ଼ ଯେହୁ ଆପଣା ଅଙ୍ଗକୁ

ବିଶ୍ଵର ବୋଝ ମୁଣ୍ଡାଇ ।

 

ଚାଟିଚୁଟି ନେଇ ଯାବତ କଳ୍ମଷ

ଭକ୍ତକୁ କର ନିର୍ମଳ

ସେହି କ୍ଷତଚିହ୍ନ ଜଗତେ କହୁଛି

ତୋ ପ୍ରାଣ କେଡ଼େ ଉଜ୍ଜ୍ଵଳ ।

 

।୧୫।

‘‘ଅସିଦ୍ଧାର୍ଥ ନୈବ”

ଚରାଚର ବିଶ୍ଵ କୀଟରୁ ବ୍ରହ୍ମାଣ୍ଡ

ଯା’ ବାଣେ ନିତ୍ୟ ଜର୍ଜ୍ଜର

କୁସୁମ କାଣ୍ଡର ଭେଳିକି ଲଗାଇ

ମଜାଇଛି ଏ ସଂସାର ।

 

ଭାବିଲା ସେ ତୋତେ ଯଥା ତଥା କେହି

ତୋ ଅଙ୍ଗେ କଲା ସନ୍ଧାନ

ସେହି ପାପଫଳେ ଅନଙ୍ଗ ହୋଇଛି

ସ୍ମୃତି ମାତ୍ର ବିଦ୍ୟମାନ ।

 

ଜୀତେନ୍ଦ୍ରିୟ ଜନ ଅବମାନନାରୁ

ପ୍ରତିଫଳ କି ହୁଅଇ

କାନ୍ଦୁଥାନ୍ତୁ ରତି କାନ୍ଦୁଥାଉ କ୍ଷିତି

ଉଦ୍‌ବାର୍ଯ୍ୟଙ୍କୁ ବିଧି ଏହି ।

 

।୧୬।

“ମହୀପାଦାଘାତାତ୍ ବ୍ରଜତି”

ପଦାଘାତେ ମହୀ ଦୁଲୁକି ଉଠିଲା

ହେ ନଟନାଥ ଶଙ୍କର ।

ଥିବକି ନ ଥିବ ବାତାବର୍ତ୍ତେ ଯିବ

ଧୂଳିଧୂସର ଅମ୍ବର ।

 

ଲୁହାର ମୁଦ୍‌ଗର ପ୍ରାୟେ ଘୂରୁଥିଲା

ବିଶାଳ ତୋ ଭୂଜଦୁଇ

ଅସଂଯତ ଜଟାଛଟା ବ୍ୟାପି ଥିଲା

ଗ୍ରହ ତାରକାରେ ଯାଇ ।

 

ଛିଟିକି ପଡ଼ିଲେ ଶତ ଧୂମକେତୁ

ସେ ଦିନ ସେ ନୃତ୍ୟକାଳେ

ହେ ଭୀମସୁନ୍ଦର ଧ୍ୟାନ ! ଅଗୋଚର

ଦୁର୍ବୋଧ୍ୟ ତୁ ସ୍ଵର ତାଳେ ।

 

ଭାବି ଅଭ୍ୟୁଦୟ ପାଇଁ କ୍ଷୁଦ୍ର କ୍ଷୟ

ହେଲେ ହେଁ ନୋହେ ଦୂଷଣ

 

ନୋହିଥାନ୍ତା ଯେବେ ସେ ନୃତ୍ୟ ସେକାଳେ

ବୁଡ଼ିଥାନ୍ତା ତ୍ରିଭୁବନ ।

 

ଜଗତ ରକ୍ଷଣ ତୋର ସେ ନର୍ତ୍ତନ

ତାଣ୍ଡବରେ ସଞ୍ଜୀବନ

ଡମ୍ବରୁ ନିନାଦେ ଅମ୍ବରୁ ଖସିଲା

ଜାଗରଣ ମନ୍ତ୍ରମାନ ।

 

।୧୭।

“ବିୟଦ୍‌ବ୍ୟାପୀ ତାରା”

ଝକ ଝକ ଝକ ଫେନିଳ କଲ୍ଲୋଳ

ତାରକା ବିମ୍ବଖଚିତ

ଯା’ର ଅମ୍ବୁରାଶି ଅମ୍ବୁଧିରେ ମିଶି

ବଳୟ ପ୍ରାୟେ ଅଙ୍କିତ ।

 

ପ୍ରବାହ ଯାହାର ପ୍ରବଳ ହେବାରୁ

ଏ ଜଗତ ଦ୍ଵୀପାକାର

ଗିଳି ମନ କଲେ ବୁଡ଼ାଇ ଦେବାକୁ

ପଲକ କେତେ ମାତର ।

 

ସେ ଜାହ୍ନବୀ ତବ ଶିୟରେ ରାଜୁଛି

ମାତ୍ର ଯଥା କ୍ଷୁଦ୍ର ବିନ୍ଦୁ

ଶକତି କାହାର କଳନା କରିବ

ମହିମାର ମହାସିନ୍ଧୁ ।

 

।୧୮।

“ରଥଃ କ୍ଷୌଣିଯନ୍ତା”

ପୃଥ୍ୱୀ କଲ ରଥ, ସାରଥି ବିଧାତା

ସୁମେରୁ କଳ କୋଦଣ୍ଡ

ଚନ୍ଦ୍ର ଭାନୁ ଚକ୍ର, ଚକ୍ରଧର ଶର

ଫାଟି ପଡ଼ୁଥିଲା ଦାଣ୍ଡ ।

 

ଆଶରା ଘେନିଲ ବ୍ରହ୍ମାଣ୍ଡ ଯା’ କର

ନାହିଁକି ଶକ୍ତି ସମ୍ବଳ ।

ନୁହଁ କି ବାସ୍ତବେ ପୂର୍ଣ୍ଣ ମହାର୍ଣ୍ଣବ

ନିରୋଳ ଦୀନ ଦୁର୍ବଳ ।

 

ତୃଣରୁ ନିଊନ ତ୍ରିପୁରା ନିଧନ

ଏଥି ଆଡମ୍ବର ଏତେ

 

ଭକତ ଜନଙ୍କ ମାନ ବଢ଼ାଇବ

ଏହି ଭାବ ହୃଦଗତେ ।

 

ସ୍ଵତନ୍ତ୍ର ତୋ କଥା ସ୍ୱତନ୍ତ୍ର ତୋ ମଥା

ସ୍ଵତନ୍ତ୍ର ଏସବୁ ଖେଳ ।

ଖିଆଲିଆ ପଣ ଉଭବ ଏମାନ

ତେଣୁ ଅପଯଶେ ଲୋକ ।

 

।୧୯।

“ହରିସ୍ତେ ସାହସ୍ର”

ଅଷ୍ଟୋତ୍ତରଶତ ଶତଦଳ ଫୁଲେ

ଅର୍ଚ୍ଚନା କରିବେ ହରି

ନିବିଡ଼ ନିଷ୍ଠାରେ ଅର୍ପଣ କରନ୍ତେ

ହୋଇଛି ଗୋଟିଏ ଚୋରି ।

 

ନଳିନାକ୍ଷ ବୋଲି ବୋଲନ୍ତି ଜଗତେ

ବ୍ରତଭଙ୍ଗ ମୋର ନୋହୁ

ବଡ଼ ଭାଗ୍ୟ ମୋର ସେହି ଉପଚାର

ପାଦତଳେ ଥୁଆ ହେଉ ।

 

ମନାସି ଶର ଟେକନ୍ତେ ମହାବୀହୁ

ଫୋଡ଼ିବାକୁ ନେତ୍ରମୂଳେ ।

ଭକତବତ୍ସଳ ଆଶୁତୋଷଙ୍କର

କାନ୍ଦିଲା ମର୍ମ ବ୍ୟାକୁଳେ ।

 

ରକତ ଶଇଳ ଉଭା ହୋଇଲେ କି

ଚନ୍ଦ୍ରାର୍କ ବହ୍ନି ନୟନ ।

ଚକ୍ରାୟୁଧ ହୋଇ ହୁଅ ବିଶ୍ଵଜୟୀ

ସତ୍ୟ ନିତ୍ୟ ସନାତନ ।

 

।୨୦।

“କତୌ ସୁପ୍ତେ ଜାଗ୍ରତ”

ପରାର୍ଥେ ଯା’ ଦାନ ତ୍ୟାଗ ଅନୁଷ୍ଠାନ

ଯଜ୍ଞ ବୋଲି ତା’ ପ୍ରମାଣ

ଧନ ଧର୍ମ ଖ୍ୟାତି ପ୍ରତିଷ୍ଠା ସମ୍ମାନ

ତାହା କରେ ସମ୍ପ୍ରଦାନ ।

 

କର୍ମ ଅବସାନେ କାଳକ୍ରମେ ଦିନେ

ଫଳପ୍ରାସ୍ତି ହୁଏ ସିନା

 

ଯାହା ନୋହେ ସଦ୍ୟ ଯହିଁ ନାହିଁ ସ୍ଵାର୍ଥ

ସନ୍ଦେହକୁ କା କାମନା ।

 

ଏକା ତୁମ୍ଭ ପରି ପ୍ରତିଭୂ ଥିବାରୁ

ପ୍ରତ୍ୟୟ ହୋଇଛି ଜାତ

ନୋହୁ ପଛେ ଆଜ, କାଲି ତ ମିଳିବ

ଫଳପ୍ରାସ୍ତି ସୁନିଶ୍ଚିତ ।

 

ସାଙ୍ଗ ହେଉ ଯଜ୍ଞ, ତୁମ୍ବେ ଥାଅ ବିଜ୍ଞ

ମନେରଖି ଦିଅ ଫଳ

ନତୂବା ସୁକୃତ କର୍ମମାନଙ୍କରେ

କେ ମାତନ୍ତେ ଭୂମଣ୍ଡଳ।

 

।୨୧।

“କ୍ରିୟାଦକ୍ଷ”

ଅସାଧ୍ୟ ସାଧନ, କର୍ମମାର୍ଗେ ଟାଣ

ସ୍ଵଭାବେ ଦକ୍ଷ ବୋଲାଇ ।

ପ୍ରଜାପାଳ ନୃପ ପ୍ରଜାହିତ କଳ୍ପେ

ଗଲେ ଯଜ୍ଞ ଆଚରାଇ ।

 

ପ୍ରତିଷ୍ଠା ଭାଜନ, ମଦେ ହତଜ୍ଞାନ

ଜାତ ହେଲା ଅଭିମାନ

ମାତ୍ର କର୍ମେ ଶ୍ରଦ୍ଧା ଧର୍ମକୁ ଅଶ୍ରଦ୍ଧା

ବ୍ୟଭିଚାର ଅଧିଷ୍ଠାନ ।

 

ବ୍ରହ୍ମାଣ୍ଡ ସାତ୍ତ୍ଵିକ ଋତ୍ୱିକ ତାପସ

କେତେ ଦେବ-ସଭାସଦ ।

ଯଜ୍ଞ-ଫଳଦାତା ତୁମ୍ଭଙ୍କୁ ଅନ୍ୟଥା

ଅବଜ୍ଞା କଲା ଦୁର୍ମଦ ।

 

ଶିବ-ହୀନ କାହିଁ ଶକତି ବଞ୍ଚଇ

ଯଜ୍ଞବେଦୀ ଶମଶାନ ।

ତଥାପି କୃପାଳୁ ଦେଲ ଜୀବନ୍ୟାସ

ହୋଇଥାନ୍ତା ଅବସାନ ।

 

‘ଶିବ’ ଶବଦରୁ ‘ଇ’ କାର କାଢ଼ିଲେ

ଯାହା ରହେ ତାହା ‘ଶବ’

‘ଇ’ କାର ତ ସତ୍ୟ ନିତ୍ୟ ସନାତନୀ

ସର୍ବଶୁଭେ ଅନୁଭବ ।

 

‘କର୍ମହୀନ ଧର୍ମ’ ‘ଧର୍ମହୀନ କର୍ମ’

କେହି ତ ନୋହେ ବାଞ୍ଛିତ

ଇଷ୍ଟ ସ୍ଥଳେ ତହିଁ ଅନଷ୍ଟ ଉପୁଜେ

ହିତେ ହୁଏ ବିପରୀତ ।

 

।୨୨।

“ପ୍ରଜାନାଥଂନା”

ହେଉନ୍ତୁ ପଛକେ ଧାତା ପରମେଷ୍ଠି

ବିଚକ୍ଷଣ ବୁଦ୍ଧି ଜ୍ଞାନେ

ଦେହୀ ହୋଇ କେହି ଦହି ନ ହୋଇଛି

ଅନଙ୍ଗ-ପୀଡ଼ାରେ କ୍ଷଣେ ।

 

ଜାତ କଲେ କନ୍ୟା, ସନ୍ଧ୍ୟା ନାମେ ଧନ୍ୟା

ବିଜୁଳିରୁ ଆଭାମୟୀ

ସେହି ଆଭା ପାଇଁ ଚେତନା ହରାଇ

ଧାବନ୍ତେ ତା’ ପଛେ ବାଇ ।

 

ନିରୂପାୟେ ଲୀଳାଚଳାପାଙ୍ଗୀ ବାଳା

ମୃଗୀରୂପେ ବ୍ୟୋମେ ଧାଏଁ,

 

ନିଲ୍ଲଜ୍ଜ ପିଅର ‘ଏଣ’ ରୂପାନ୍ତର

ବ୍ୟାକୁଳେ ପଛେ ଗୋଡ଼ାଏ ।

 

ଏ କି ଅପଯଶ କଳଙ୍କ କଳ୍ମଷ

ତୁମ୍ଭ ପ୍ରାଣେ କି ସହଇ

ଟେକି କାଣ୍ଡଶର, ଧାବନ୍ତେ ପ୍ରଖର

ଅଛନ୍ତି ତାଟକା ହୋଇ ।

 

ସେହି ମୃଗଶିରା ତାରକା ମଣ୍ଡଳେ

ଅଦ୍ୟାପି ଥରୁଛି ତନୁ

ନୀତିହୀନତାକୁ ଶାସନ ରହିଛି

ଛନକା ଛାଡ଼ିନି ମନୁ ।

 

ନିତିହୀନ ଦୁଷ୍ଟ ତ୍ରାସେ ଥର ଥର

ଶରଣାଗତ ସେ ଯେଣୁ

ତଥାପି ତାହାକୁ ଶ୍ରୀକରେ ଧରିଛ

ଶାସକ ପାଇକ ତେଣୁ ।

 

।୨୩।

“ସ୍ଵଲାବଣ୍ୟାସଂସା”

ଅଭିମାନିନୀ ସେ ବୋଲନ୍ତି ଯଦ୍ୟପି

ପ୍ରିୟା-ପ୍ରୀତି ପ୍ରିୟଙ୍କର

ଏତେ ଉଗ୍ର ଏତେ ତୀକ୍ଷ୍‌ଣ ଲଭିବାର

ଭାଗ୍ୟବତୀ କେ ସଂସାର !

 

ପ୍ରତ୍ୟକ୍ଷ ଦେଖିଲେ ସମାଧିସ୍ଥ ଥିଲେ

ବିଲ୍ଵ ବୃକ୍ଷତଳେ ବର,

ପ୍ରଣୟ-ପିପାସା ପ୍ରବଳ ହେବାରୁ

ଅନୁସରି ପଞ୍ଚଶର

 

ବୋଇଲେ ‘ତୁ ତହିଁ କର ଶରାଘାତ

ମୁଁ ଥିବି ଜାଲ ମେଲାଇ

ଟାଣ ପଛେ ଯେତେ ହେଉ ଯୋଗ ଜ୍ୟୋତି

ମୋ ରୂପେ ଯିବ ମିଳାଇ ।

 

ନିଶ୍ଚିତେ ପଣତତଳେ ନତ ହୋଇ

ବୋଲିବେ ରଖ ସୁନ୍ଦରୀ’ ।

 

ଫଳେ ଭସ୍ମକୁଢ଼ ଜଗତ ଦେଖିଲା

ଅଟଳ ଯୋଗ କିପରି !

 

ମାତ୍ରକ ଶ୍ରୀଅଙ୍ଗେ ଅଙ୍କେ ଧରିଛନ୍ତି

ସ୍ତ୍ରୈଣ ବୋଲି ଯେବେ ଭାବି

ମନ ମୋଟ ହୁଏ, ଜାଣିବି ରୀତିରେ

ବାଳାଏ ନିତ୍ୟ ଗରବୀ ।

 

।୨୪।

“ଶ୍ମଶାନେସ୍ଵା”

ଘରଦ୍ଵାର ଛାଡ଼ି ଶ୍ମଶାନ ଭୂମିରେ

ବୁଲିବାକୁ ସଦା ମନ,

ନିର୍ଦ୍ଦୟ ନିର୍ବୋଧ ପିଶାଚଙ୍କ ସଙ୍ଗେ

ଏତେ ଭାବ ବନ୍ଧୁ ପଣ ।

 

ତୁଚ୍ଛ ଚିତାଭସ୍ମ ଅଙ୍ଗକୁ ଲେପନ

ନର କରୋଟିରେ ମାଳା,

ଦେଖିଲା ଶୁଣିଲା ଜନେ ଭାବୁଛନ୍ତି

କଦାଚାରେ ମନ ଢଳା ।

 

ସତ ଏକା ପ୍ରଭୁ ! ଏ ରୀତି କଷୁର

ଯାବତ ଦୁଷ୍ୟ ମୂକର,

‘ଭୂତନାଥ’ ବୋଲି ତଥାପି ଡାକିଲେ

ତାର ଭାଗ୍ୟେ ଶୁଭଙ୍କର ।

 

।୨୫।

“ମନଃ ପ୍ରତ୍ୟକ୍ ଚିତ୍ତ”

ରେଚକ କୁମ୍ଭକ ପୂରକ ବିଧିରେ

ପ୍ରାଣାୟାମେ -ବାୟୁ ରୋଧି

ପ୍ରତ୍ୟାହାର ପଥେ ଅନ୍ତର୍ମୁଖୀ ମନ

ରହେ ତହିଁ ଯହିଁ ବୁଦ୍ଧି ।

 

ରୋମାଞ୍ଚ ଯୋଗୀନ୍ଦ୍ର ପୁଲକେ ଭାସନ୍ତି

ଆନନ୍ଦ ଅଶ୍ରୁ-ପ୍ଲାବନେ,

କି ଜାଣି ଅନ୍ତରେ ଅନିର୍ବଚନୀୟ

ଅମୃତ–ହ୍ରଦ–ସିନାନେ ।

 

ସେହି ବ୍ରହ୍ମାନନ୍ଦ ତୁହି ଆଦିକନ୍ଦ

ସେହି ତ ସ୍ଵରୂପ ତୋର,

 

ଚିନ୍ମୟ ଶାଶ୍ଵତ ଭକ୍ତ-ବାଞ୍ଛା-ବଟ

ଯେ ଭାବେ ଯେ ଭାବୁ ତାର ।

।୨୬।

“ତ୍ଵମର୍କସ୍ତ୍ୱଂ ସୋମଃ”

ତୁହି ଶଶଧର ତପନ ତାରକା

ତୁହି ବହ୍ନି ବାରିବାହ

ତୁହି ନୀଳ ବ୍ୟୋମ ତୁହି ନୀଳାମ୍ବୁଧି

ମର୍ମର ଆହ୍ଲାଦ ଦାହ ।

ସୀମାବଦ୍ଧ କରି ବୋଲନ୍ତୁ ପଛକେ

ତୁହି ଆତ୍ମା ତୁହି କ୍ଷିତି

କି ନୁହଁ, କେବଳ କହ ତ ଏତିକି

ନୀତି ଅନୀତି କି ପ୍ରୀତି ?

।୨୭।

“ତ୍ରୟୀଂ ତିସ୍ରୋବୃତ୍ତ”

‘ଅ’ କାର ‘ଉ’ କାର ‘ମ’ କାର ସଂଯୋଗେ

ଓଁ କାର ମୂରତି ତୁହି

 

ଜାଗ୍ରତ ସ୍ୱପନ ସୁଷୁପ୍ତି ବିଭାଗେ

ତିନି ବୃତ୍ତି ତହିଁ ଛଇଁ ।

 

ଉଦାତ୍ତ ସ୍ଵରିତ ଅନୁଦାତ୍ତ ଭେଦେ

ନାଦରୂପୀ ଭଗବାନ,

ନିର୍ଗୁଣ ତ୍ରିଗୁଣ ଅତୀତ ଦେବତା

ତୁରୀୟରେ ଅଧିଷ୍ଠାନ ।

 

ଋକ୍ ସାମ ଯଜୁଃ ଭୂର୍ଭୂବ ସ୍ୱଲୋକ

ଅଖଣ୍ଡ ଚୈତନ୍ୟ ଧାମ,

ବ୍ୟସ୍ତ ପ୍ରପଞ୍ଚରେ ବ୍ୟଷ୍ଟି ସମଷ୍ଟିରେ

ଦ୍ଵୈ ତାଦ୍ଵୈତେ ଅଭିରାମ ।

 

।୨୮।

“ଭବଃ ସର୍ବୋରୁଦ୍ର”

ଭବ ସର୍ବ ରୁଦ୍ର ପଶୁପତି ଉଗ୍ର

ମହାଦେବ ତୁ ଈଶାନ,

ଭୀମ ବୋଲି ଆନ ଏହି ଅଷ୍ଟନାମ

ପ୍ରଖ୍ୟାତ ନିତ୍ୟ ଭୁବନ ।

 

ଏହି ପ୍ରତିନାମେ ଅଛି ଅନ୍ତର୍ଗତେ

ବେଦବେଦାନ୍ତ ବ୍ୟକତ,

ସର୍ବପୁରୁଷାର୍ଥ ପ୍ରଦ ହେ ଦେବତା !

ଧ୍ୟାନ ଧାରଣା ଅତୀତ ।

 

ମାତ୍ରକ ତୋ ପାଦେ ଢାଳିଦେଲି ମଥା

ଶିବ ଶିବ ନାମ କହି,

ଜାଣେ ନାହିଁ ପୂଜା ଧ୍ୟାନ ମନ୍ତ୍ରଯନ୍ତ୍ର

ତୋ ଇଚ୍ଛା ତୁ ଜାଣୁ ତୁହି ।

 

।୨୯।

“ନମୋ ନେଦିଷ୍ଠାୟ”

ଭକତଜନଙ୍କୁ ଅତି ସନ୍ନିକଟ

‘ନେଦିଷ୍ଠ’ ‘ନିର୍ଜ୍ଜନପ୍ରିୟ’

‘ଦବିଷ୍ଠ’ ବୋଲୁଛି ଅଭକ୍ତ ଜନଙ୍କ

ହୃଦେ ଥାଇଁ ତୁ ଅଜ୍ଞେୟ ।

 

ସୂକ୍ଷ୍ମାତିସୂକ୍ଷ୍ମ ତୁ କ୍ଷୁଦ୍ରତମ ବ୍ରହ୍ମ

‘କ୍ଷୋଦିଷ୍ଠ’ ବୋଲଛି ତେଣୁ,

 

‘ମହିଷ୍ଠ’ ତୋ ନାମ ସର୍ବାତ୍ମକ ହୋଇ

ମହତ୍ତମ ହେଲୁ ଯେଣୁ ।

 

ସର୍ବକାରଣର ଠୁଳ ଗନ୍ତାଘର

‘ବର୍ଶିଷ୍ଠ’ ହେ ବୃଦ୍ଧତମ

ଶତପ୍ରଳୟରେ ଜାଗ୍ରତ ଅଖଣ୍ଡ

‘ଯବିଷ୍ଠ’ ଯୌବନ ଧାମ ।

 

ସର୍ବରୂପଧାରୀ ‘ସର୍ବାଷ୍ମ’ ତୁ ଧ୍ରୁବ

ସର୍ବାତିରିକ୍ତ ଦେବତା

ତୋ ପୟରେ ଶତ ପ୍ରଣତି କରୁଛି

ତୁହି ହରତା କରତା ।

 

।୩୦।

“ବହୁଳ ରଜସେ”

ଜଗତ ସର୍ଜନ ଲାଗି ରଜୋଗୁଣ

‘ଭବ’ ନାମ ଯାହାଙ୍କର,

ତମୋଗୁଣେ ‘ହର’ ବଡ଼ ଭୟଙ୍କର

କରନ୍ତି ବିଶ୍ଵ ସଂହାର ।

 

ସକଳ ଶୁଭଦ ବରଦ ପଣରେ

ସ୍ଵାତ୍ତ୍ଵିକ ଗୁଣରେ ‘ମୃଡ଼’

ତ୍ରିଗୁଣ ଅତୀତ ‘ଶିବ’ ପାଦତଳେ

ହେଉ ମତିଗତି ଦୃଢ଼ ।

 

ମାୟା ଅଭିଭୂତ ହୋଇନି ଯେ ତେଜଃ

‘ମହ’ନୀୟ ସୁପ୍ରକାଶ,

ପୁଣି ଯହୁଁ ଜାତ ସତ୍ତ୍ଵରଜତମଃ

ସେହି ଜ୍ୟୋତି ଅଭିଳାଷ ।

 

।୩୧।

“କୃଶପରିଣତି”

ସ୍ଵଳ୍ପ ପରିପକ୍ଵ ଅଳପ ବିଷୟ

ଦ୍ଵେଷ ଅଭିମାନଭରା,

ସ୍ଵଭାବେ ଅଳସ ଶ୍ରମକୁ ଉଦାସ

ମୋର ବୁଦ୍ଧି ପରମ୍ଫରା ।

 

ମୁଁ କ୍ଷୁଦ୍ର ପତଙ୍ଗ ସେ ତ ଗିରି ତୁଙ୍ଗ

ତଥାପି ବଳିଛି ମତି,

 

ସର୍ବଗୁଣ ସୀମା ଲଙ୍ଘିବାର ସିନା

ଶାଶ୍ଵତ ନିତ୍ୟ ବିଭୂତି ।

 

ଅନ୍ତରେ ଉଲ୍ଲାସ ଦେଉଛି ଊତ୍ସାହ

ଦେବି ବାକ୍ୟ- ପୁଷ୍ପହାର ।

କିଜାଣି କି କଥା ବୋଲୁଁ କି ବୋଲିବି

ଛନକା ଜାଗେ ଅପାଇ ।

 

ଏ ପୁଷ୍ପର ମଧୁ ପିଇବେ ମଧୂପ

ଦୁରଜନେ ଲଭି ବାସ

ପୁଷ୍କଳ ମାନସେ ଆଶିଷ କରନ୍ତୁ

ନ କରନ୍ତୁ ଉପହାସ ।

 

।୩୨।

“ଅସିତଗିରି ସମସ୍ୟାତ”

ନୀଳଗିରି ପରା ସିହାଇ ମୁଣ୍ଡାଟା

ଦରିଆ ପରି ଦୁଆତ,

କଳ୍ପବଟ ଡାଳ କଲମ ହୁଅନ୍ତା

ଲେଖନ୍ତେ ସାରଦା ମାତ ।

 

ଭୂପୃଷ୍ଠ କାଗଜ ପରା ଲମ୍ବିଥାନ୍ତା

କାର୍ଯ୍ୟ ଚଳନ୍ତା ସତତ,

କାଣିତେ ମାତର ଗୁଣରୁ ମୂକର

ଫିଟିଲେ ଫିଟନ୍ତା ସତ ।

 

।୩୩।

“କୁସୁମଦଶନ ନାମା”

ପୁଷ୍ପଦନ୍ତ ନାମ ଗୁଣେ ଅଭିରାମ

ଗନ୍ଧର୍ବ-ମହୁଡ଼ମଣି,

ଚନ୍ଦ୍ରଚୂଡ଼ଙ୍କର ନିତ୍ୟ ପରିଚାର

ବଡ଼ ଭାଗ୍ୟ ଥିଲା ଗଣି ।

 

କି ଜାଣି କି ହେଲା ଅଳପ କଥାକେ

ଆଶୁତୋଷ ବହି ରୋଷ,

ବଡ଼ଲୋକଙ୍କର ଏ ବଡ଼ପଣିଆ

ଦଣ୍ଡ ଦେଲେ ପରବାସ ।

 

କେତେ ଆଖିପାଣି ଢାଳିଲି ମଉନେ

ଲେଖିଲି କବିତା ଏହି,

 

ଆଚମ୍ବିତେ ଦିନେ ହର ଗଉରୀଙ୍କି

ଦେଖିଲି ଆସନ୍ତି ଧାଇଁ ।

 

ବୋଲନ୍ତି ‘ବାବୁ’ ରେ ଭକତଶେଖର !

ତୋତେ ଛାଡ଼ି ମୁଁ ଅନାଥ,

ଅନ୍ତର୍ଯାମୀଙ୍କର କଲିଜା ତିନ୍ତିଛି

ମାରନ୍ତି ପିଠିକି ହାତ ।

 

।୩୪।

“ସରବର ମୁନିପୂଜ୍ୟଂ”

ଅବ୍ୟର୍ଥ ମୋ ସ୍ତବ କୃତାଞ୍ଜଳି ଭାବ

ଜଣାଣ କରିବେ ଯେହୁ,

ସେହି ଠାକୁରଙ୍କ କରୁଣା-କଟକ୍ଷ

ନିତ୍ୟ ପାଉଥିବେ ସେହୁ ।

 

ସୁରବର ମୁନିପୂଜ୍ୟ ଏ କବିତା

ଧର୍ମାର୍ଥ ମୋକ୍ଷଦାୟକ,

ଶିଶୁ ଶଶଧର ମଉଳି ଶ୍ରୁତିକି

ପ୍ରତି ବର୍ଣ୍ଣେ ଏ ପୁଲକ ।

 

କଣ୍ଠେ ଥାଉ ଅବା ଗାଦିରେ ବସାଇ

ଗ୍ରନ୍ଥକୁ ପୂଜିଲେ କେହି,

ନିତ୍ୟ ସମୂକ୍ମ୍ଵଳ ତା’ ଭାଗ୍ୟ ମଞ୍ଜୁଳ

ଭୂତନାଥଙ୍କୁ ସେ ପାଇ ।

 

ବାଞ୍ଛାବଟ ସୋମୋଶ୍ଵର ଦିନ ଗଲା ମୋର

ମହିମ୍ନର ଭାଷାନ୍ତର ଅର୍ଘ୍ୟ ତୋ’ ପୟର

କି ଲାଗି ଆସିଲି ପୁଣି ଯିବି କେଉଁ ଦେଶେ

ତୋର ବାଞ୍ଛା ପୂର୍ଣ୍ଣ ହେଉ କହୁଛି ବିଶେଷେ ।

 

ଟୀକା

 

‘ପଦ’ ୧୩- ସ୍ଵପର ଶବ୍ଦରୁ ସ୍ଵପାକ–ଚଣ୍ଡାଳ

ଜଳ୍ପାକ- କଥା କହିଲାବେଳ

ମଧୁପାକ- ଚିନ ସିରାରେ ଗୋଳା ହେଲା ପରି ମିଠା ଲାଗେ । ଅର୍ଥାତ୍ ଆପଣଙ୍କ ଦୟାରୁ ଚଣ୍ଡାଳର ବଚନ ମଧ୍ୟ କାନକୁ ମିଠା ଶୁଭେ ।

 

‘ପଦ’ ୨୨- ଏଣ –ଅଣ୍ଡରା ମୃଗ ।

‘ପଦ’ ୨୭- ବେଦ ଗାନ କଲାବେଳେ କଣ୍ଠସ୍ଵରକୁ କେତେବେଳେ ଉଚ୍ଚ ତାରାଗ୍ରାମକୁ, କେତେବେଳେ ନିମ୍ନଉଦାରା ଗ୍ରାମକୁ ଖସାନ୍ତି । ଯେତେବେଳେ ଉଚ୍ଚକୁ ଉଠେ ତାହାର ନାମ ଉଦାତ୍ତ, ମଧ୍ୟ ମୁଦାରାରେ ସ୍ଵରିତ, ନିମ୍ନ ଖାଦ ପରଦାକୁ ଗଲେ ଅନୁଦାତ୍ତ ବୋଲାଯାଏ । ସ୍ଵରୋଦୟ ଶାସ୍ତ୍ରାନୁସାରେ ନାଡ଼ି ୩ଟି –ଇଡ଼ା, ପିଙ୍ଗଳା, ସୁଷୁମ୍ନା । ଶ୍ଵାସ ବାଟେ ଆସି ବାମପୁଡ଼ାରେ ବାହାରେ ଇଡ଼ା । ସେ ସମୟରେ ଯାତ୍ରା, ଶୟନ, ମଳମୂତ୍ର ତ୍ୟାଗ ବିଧେୟ ।

 

ପିଙ୍ଗଳା ବାଟେ ଆସି ଦକ୍ଷିଣ ପୁଡ଼ାରେ ନିର୍ଗତ ସମୟରେ ଭୋଜନ, ମୈଥୁନ ଓ ଯୁଦ୍ଧକାର୍ଯ୍ୟ ବିଧେୟ

 

ସୁଷୁମ୍ନାର ବାୟୁ ଦୁଇ ପୁଡ଼ାରେ ସମାନ ଭାବେ ବାହାରେ । ସେ ବେଳରେ ଯୋଗ, ଈଶ୍ଵର ଭଜନ, ତନ୍ତ୍ର ଜପାଦି ବିଧେୟ ।

‘ପଦ’ ୨୯–ପ୍ରିୟଦବ–ଜନପ୍ରିୟ, ନି୍ର୍ଜନତାପ୍ରିୟ ।

 

ମହିମ୍ନ ସ୍ତ୍ରୋତ୍ର

 

ମହିମ୍ନଃ ପାରଂ ତେ ପରମବିଦୁଷୋ ଯଦ୍ୟସଦୃଶୀ

ସ୍ତୁତିର୍ବ୍ରହ୍ମାଦୀନାମପି ତଦବସନ୍ନାସ୍ତ୍ଵୟି ଗିରଃ

ଅଥାବାଚ୍ୟଃ ଶର୍ବ୍ଦଃ ସ୍ଵମତିପରିଣାମାବଧି ଗୃଣନ୍

ମମାପ୍ୟେଷ ସ୍ତୋତ୍ରେ ହର ନିରପବାଦଃ ପରିକରଃ ।୧।

 

ଅତୀତଃ ପନ୍ଥାନଂ ତବ ଚ ମହିମା ବାଂଗ୍ମନସୟୋ

ରତଦ୍ ବ୍ୟାବୃତ୍ତ୍ୟା ଯଂ ଚକିତମଭିଧତ୍ତେ ଶ୍ରୁତିରପି

ସ କସ୍ୟ ସ୍ତୋତବ୍ୟଃ କତିବିଧଗୁଣଃ କସ୍ୟ ବିଷୟଃ

ପଦେ ତ୍ୱର୍ଦ୍ଦାଚୀନେ ପତତି ନ ମନଃ କସ୍ୟ ନବଚଃ ।୨।

 

ମଧୃସ୍ପି ତାବାଚଃ ପରମମମୃତଂ ନିର୍ମିତବତ

ସ୍ତବ ବ୍ରହ୍ମନ କଂ ବାଗପି ସୁରଗୁରୋର୍ଦ୍ଦି ସ୍ମୟପଦମ୍

ମମତ୍ୱେତାଂ ବାଣୀଂ ଗୁଣ କଥନପୁଣ୍ୟେନ ଭବତଃ

ପୁନାମାତ୍ୟର୍ଥେସ୍ମିନ୍ ପୁରମଥନ ! ବୁଦ୍ଧିର୍ବ୍ୟବସିତା ।୩।

 

ତବୈଶ୍ୱର୍ଯ୍ୟଂ ଯତ୍ତଜ୍ଜଗଦୁଦୟ ରକ୍ଷା ପ୍ରଳୟକୃତ୍

ତ୍ରୟୀବିସ୍ତୁବସ୍ତଂ ତିସୃଷୂ ଗୁଣଭିନ୍ନାସୁ ତନୁଷୁ

ଅଭବ୍ୟାନାମସ୍ମିନ୍ ବରଦ ! ରମଣୀୟାମରଣୀଂ

ବିହନ୍ତୁଂ ବ୍ୟାକ୍ରୋଶୀଂ ବିଦଧତ ଇହୈକେ ଜଡ଼ଧିୟଃ ।୪।

 

କିମୀହଃ କିଂକାୟଃ ସ ଖଳୁକିମୁପାୟ ସ୍ତ୍ରି ଭୂବନଂ

କମାଧାରୋଧାତା ସୃଜତି କିମୁପାଦାନ ଇତି ଚ

ଅତର୍କ୍ୟୈଶ୍ଵର୍ଯ୍ୟେ ତ୍ଵଯ୍ୟନବସରଦୁସ୍ଥୋ ହତଧିୟଃ

କୁତର୍କୋଽୟଂ କାଂଶ୍ଚିନ୍ମୁଖରୟତି ମୋହାୟ ଜଗତଃ ।୫।

 

ଅଜନ୍ମାନୋ ଲୋକାଃ କିମବୟବବନ୍ତୋଽପି ଜଗତା-

ମଧିଷ୍ଠାତାରଂ କିଂ ଭବବିଧିରନାଦୃତ୍ୟ ଭବତି

ଅନୀଶୋ ବା କୁର୍ଯ୍ୟାଭୁ ବନଜନନେ କଃ ପରିକରଂ

ଯତୋ ମନ୍ଦାସ୍ତ୍ୱାଂ ପ୍ରତ୍ୟମରବର ! ସଂଶେରତ ଇମେ ।୬।

 

ତ୍ରୟୀ ସାଙ୍ଖ୍ୟଂଯୋଗଃ ପଶୁପତିମତିଂ ବୈଷ୍ଣବମିତି

ପ୍ରଭିନ୍ନେ ପ୍ରସ୍ଥାନେ ପରମିଦମଦଃ ପଥ୍ୟମିତି ଚ

ରୁଚୀନାଂ ବୈଚିତ୍ର୍ୟାଦୃଜୁ କୁଟିଳ ନାନାପଥଜୁଷାଂ

ନୃଣାମେକୋଗମ୍ୟସ୍ତ୍ୱମସି ପୟସାମର୍ଣ୍ଣବ ଇବ ।୭।

 

ମହୋକ୍ଷଃ ଖଟ୍ଵାଙ୍ଗ୍ଂ ପରଶୁରଜିନଂ ଭସ୍କ ଫଣିନଃ

କପାଳଞ୍ଚେତୀତ୍ତବ ବରଦ ! ତତ୍ରୋପକରଣମ୍

ସୁରାସ୍ତାଂ ତାମୃଦ୍ଧିଂ ଦଧତି ଚ ଭବଦ୍ ଭ୍ରୁପ୍ରଣିହିତାଂ

ନହି ସ୍ଵାତ୍ମାରାମମ୍ ବିଷୟ ମୃଗତୃଷ୍ଣା ଭ୍ରମୟତି ।୮।

 

ଧ୍ରୁବଂ କଶ୍ଚିତ୍ ସର୍ଦ୍ଧଂ ସକଳମପରସ୍ତ୍ୱଧ୍ରୁବମିଦଂ

ପରୋ ଧ୍ରୌବ୍ୟା ଧ୍ରୌବ୍ୟେ ଜଗତି ଗଦତି ବ୍ୟସ୍ତ ବିଷୟେ

ସମସ୍ତେଽପ୍ୟେତସ୍ମିନ୍ ପୁରନଥନ ! ତୈର୍ବିସ୍ମିତ ଇବ

ସ୍ତୁବନ୍ ଜିହ୍ରେମି ତ୍ୱାଂ ନ ଖଳୁ ନନୁ ଧୃଷ୍ଟା ମୁଖରତା ।୯।

 

ତବୈଶ୍ଵର୍ଯ୍ୟଂ ଯତ୍ନାଦ୍ ଯଦୁପରି ବିରଞ୍ଚିର୍ହରିରଧଃ

ପରିଚ୍ଛେତୁଂ ଯାତାବନଳମନିଳ ସ୍କନ୍ଧବପୁଷଃ

ତତୋଭକ୍ତି ଶ୍ରଦ୍ଧାଭର ଗୁରୁ ଗୃଣଦ୍ଭ୍ୟାଂ ଗିରିଶ ! ଯତ୍

ସ୍ଵୟଂ ତସ୍ଥେ ତାଭ୍ୟାଂ ତବ କିମନୁବୃତ୍ତି ର୍ନ ଫଳତି ।୧୦।

 

ଅଯତ୍ନାଦାସାଦ୍ୟ ତ୍ରିଭୂବନମବୈରବ୍ୟତିକରଂ

ଦଶାସ୍ୟୋ ଯଦ୍ ବାହୁ ନଭୃତ ଋଣକଣ୍ଡୁ ପରବଶାନ୍

ଶିରଃ ପଦ୍ମଶ୍ରେଣୀ ରଚିତ ବରଣାମ୍ଭୋରୁହ ବଳେଃ

ସ୍ଥିରାୟା ସ୍ତ୍ଵଭକ୍ତେ ସ୍ତ୍ରିପୁରହର ! ବିସ୍ଫୂର୍ଜିତ ମିଦମ୍ ।୧୧।

 

ଅମୂଷ୍ୟ ତ୍ୱତ୍ ସେବା ସମଧିଗତସାରଂ ଭୁଜବଳଂ

ବଳାତ୍ କୈଳାସେଽପି ତ୍ୱଦଧିବସତୌ ବିକ୍ରମୟତଃ

ଅଲଭ୍ୟା ପାତାଳେଽପ୍ୟଳସ –ଚଳିତାଙ୍ଗୁଷ୍ଠ-ଶିରସି

ପ୍ରତିଷ୍ଠା ତ୍ୱଯ୍ୟାସୀଦ୍ ଧ୍ରୁବ ମୁପଚିତୋ ମୂହ୍ୟତି ଖଳଃ ।୧୨।

 

ଯଦୃଦ୍ଧିଂ ସୂତ୍ରାମ୍ନୋ ବରଦ ! ପରମୋଚ୍ଚୈରପି ସତୀ-

ମଧଶ୍ଚକ୍ରେ ବାଣଃ ପରିଜନ ବିଧେୟତ୍ରିଭୁବନଃ

ନତଚ୍ଚିତ୍ରଂ ତସ୍ମିନ୍ ବରିବସିତରି ତ୍ୱଚ୍ଚରଣୟୋ-

ର୍ନ କସ୍ୟାପ୍ୟୁନ୍ମତ୍ୟୈ ଭବତିଶିରସସ୍ତ୍ଵ ଯ୍ୟବନତିଃ ।୧୩।

 

ଅକାଣ୍ଡ ବ୍ରହ୍ମାଣ୍ଡ-କ୍ଷୟଚକିତ ଦେବାସୁର କୃପା

ବିଧେୟସ୍ୟାସୀଦ୍ ଯ ସ୍ତ୍ରି ନୟନ ! ବିଷଂ ସଂହୃତବତଃ

ସ କଳ୍ମାଷଃ କଣ୍ଠେ ତବ ନ କୁରୁତେ ନ ଶ୍ରିୟମହୋ

ବିକୋରୋଽପିଶ୍ଳାଘ୍ୟୋ ଭୁବନଭୟଭଙ୍ଗ ବ୍ୟସନିନଃ ।୧୪।

 

ଅସିଦ୍ଧାର୍ଥ ନୈବ କ୍ଵଚିଦପି ସଦେବାସୁରନରେ

ନିବର୍ତ୍ତନ୍ତେ ନିତ୍ୟଂ ଜଗତି ଜୟିନୋ ଯସ୍ୟ ବିଶିଖାଃ

ସ ପଶ୍ୟନ୍ନୀଶ ! ତ୍ୱାମିତର ସୁର ସାଧାରଣ ମଭୂତ୍

ସ୍ମରଃ ସ୍ମର୍ତ୍ତବ୍ୟାତ୍ମା ନହି ବଶିଷୁ ପଥ୍ୟଃ ପରିଭବଃ ।୧୫।

 

ମହୀ ପାଦାଘାତାଦ୍ ବ୍ରଜତି ସହସା ସଂଶୟ ପଦଂ

ପଦଂ ବିଷ୍ଣୋ ଭ୍ରାମ୍ୟଦ୍‌ଭୁଜପରିଘରୁଗ୍‌ଣ ଗ୍ରହଗଣମ୍

ମୁହୁଦ୍ଦ୍ୟୌ ଦ୍ଦୌସ୍ଥ୍ୟଂ ଯାତ୍ୟନିଭୃତଜଟାତାଡ଼ିତ ତଟା

ଜଗଦ୍ରକ୍ଷାୟୈ ତ୍ୱଂ ନଟସି ନନୁ ବାମୈବ ବିଭୂତା ।୧୬।

 

ବିୟଦ୍ ବ୍ୟାପୀ ତାରାଗଗୁଣିତଫେନୋଦ୍ ଗମରୁଚିଃ

ପ୍ରବାହୋ ବାରାଂଯଃ ପୃଷତଲଘୁଦୃଷ୍ଟଃ ଶିରସିତେ

ଜଗଦ୍ଦ୍ଵୀପାକାରଂ ଜଳଧି ବଳୟଂ ତେନ କୃତମି

ତ୍ୟନେନୈ ବୋନ୍ନେୟଂ ଧୃତ ମହିମ ଦିବ୍ୟଂ ତବ ବପୁଃ ।୧୭।

 

ରଥଃ କ୍ଷୌଣୀ ଯନ୍ତା ଶତଧୃ ତିରଗେନ୍ଦ୍ରେ । ଧନୁରଥୋ

ରଥାଙ୍ଗେ ଚନ୍ଦ୍ରାର୍କୌ ରଥଚରଣପାଣିଃ ଶର ଇତି

ଦିଧକ୍ଷୋସ୍ତେ କୋଽୟଂ ତ୍ରିପୁର ତୃଣମାଡ଼ମ୍ବର ବିଧି

ର୍ବିଧେୟୈଃ କ୍ରୀଡ଼ନ୍ତ୍ୟୋ ନ ଖଳୁ ପରତନ୍ତ୍ରାଃ ପ୍ରଭୁଧିୟଃ ।୧୮।

 

ହରିସ୍ତେ ସାହସ୍ରଂ କମଳବଳିମାଧାୟ ପଦୟୋ-

ଯଦେକୋନେ ତସ୍ମିନ୍ ନିଜମୁଦହର ନ୍ନେତ୍ରକମଳଂ

ଗତୋ ଭକ୍ତ୍ୟୁଦ୍ରେକଃ ପରିଣତି ମସୌ ଚକ୍ର ବପୁଷା

ତ୍ରୟାଣାଂ ରକ୍ଷାୟୈ ତ୍ରିପୁରହର ! ଜାଗର୍ତ୍ତି ଜଗତାମ୍ ।୧୯।

 

କ୍ରତୌ ସୁପ୍ତେ ଜାଗତ୍ତ୍ଵମସି ଫଳଯୋଗେ କ୍ରତୁମତାଂ

କୁ କର୍ମ ପ୍ରଧ୍ଵସ୍ତଂ ଫଳତି ପୁରୁଷାରାଧନମୃତେ

ଅତସ୍ତ୍ଵାଂ ସଂପ୍ରେକ୍ଷ୍ୟ କ୍ରତୁଷୁ ଫଳଦାନ ବ୍ୟସନିନୋ

ଧ୍ରୁବଂ କର୍ତ୍ତୁଃ ଶ୍ରଦ୍ଧା ବିଧୁରମଭିଚାରାୟହି ମଖାଃ ।୨୦।

 

କ୍ରିୟାଦକ୍ଷୋଦକ୍ଷା ତ୍ରତୁପତିରଧୀଶସ୍ତନୁଭୃତା –

ମୃଷୀଣାମାର୍ତ୍ତ୍ୱିଜ୍ୟଂ ଶରଣଦ ସଦସ୍ୟାଃ ସୁରଗଣାଃ

କ୍ରତୁଭ୍ରଂ ଶସ୍ତ୍ଵତ୍ତଃ କ୍ରତୁଷୁ ଫଳଦାନ ବ୍ୟସନିନୋ

ଧ୍ରୁବଂ କର୍ତ୍ତୁଃ ଶ୍ରଦ୍ଧାବିଧୁରମଭିଚାରାୟହି ମଖାଃ ।।୨୧।

 

ପ୍ରଜାନାଥଂ ନାଥ ପ୍ରସଭମଭିକଂ ସ୍ଵାଂ ଦୁହିତରଂ

ଗତଂ ରୋହିଭୁତାଂ ରିରମୟିଷୁ ମୃଷ୍ୟସ୍ୟ ବପୁଷା

ଧନୁଷ୍ପାଣେର୍ଯାତଂ ଦିବମପି ସପତ୍ରାକୃତ ମମୁଂ

ତ୍ରସନ୍ତଂ ତେଽଦ୍ୟାପି ତ୍ୟଜତି ନ ମୃଗ-ବ୍ୟାଧ-ରଭସଃ ।୨୨।

 

ସ୍ଵଲାବଣ୍ୟାଶଂସା ଧୃତ-ଧନୁଷମହ୍ନାୟ ତୃଣବତ୍

ପୁରଃ ପ୍ଲୁଷ୍ଟଂ ଦୃଷ୍ଟ୍ଵ। ପୁରମଥନ ! ପୁଷ୍ପାୟୁଧମପି

ଯଦିସ୍ତ୍ରୈଣଂ ଦେବୀ ଯମନିରତ ଦେହାର୍ଦ୍ଧ ଘଟନା

ଦବୈତି ତ୍ୱାମଦ୍ଧାବତ ବରଦ ମୁଗ୍‌ଧା ଯୁବତୟଃ ।୨୩।

 

ଶ୍ମଶାନେଷ୍ଵା କ୍ରୀଡ଼ାଃ ସ୍ମରହର ! ପିଶାଚାଃ ସହଚରା

ଶ୍ଚିତା ଭସ୍ମାଲେପଃ ସ୍ରରପି ନୃ କରୋଟୀପରିକରଃ

ଅମଙ୍ଗଲ୍ୟଂ ଶାଲଂ ତବ ଭବତୁ ନାମୈବ ମଖିଳଂ

ତଥାପି ସ୍ମର୍ତ୍ତୃଣା ବରଦ ! ପରମଂ ମଙ୍ଗଳମସି ।୨୪।

 

ମନଃ ପ୍ରତ୍ୟକ୍ ଚିତ୍ତେ ସବିଧମବଧାୟାତ୍ତ ମରୁତଃ

ପ୍ରହୁଷ୍ୟଦ୍ରୋମାଣଃ ପ୍ରମଦ ସଲିଲୋତ୍‌ସଙ୍ଗିତ ଦୃଶଃ

ଯଦାଲୋକ୍ୟାହ୍ଲାଦଂ ହ୍ରଦଇବ ନିମଜ୍ଜ୍ୟାମୃତମୟେ

ଦଧତ୍ୟନ୍ତସ୍ତତ୍ତ୍ଵଂ କିମପି ଯମିନ ସ୍ତତ୍ କିଳ ଭବାନ୍ ।୨୫।

 

ତ୍ୱମର୍କସ୍ତ୍ଵଂ ସୋମସ୍ତ୍ଵ ମସିପବନ ସ୍ତ୍ଵଂ ହୁତବହ-

ସ୍ତ୍ଵମାପସ୍ତ୍ଵଂ ବ୍ୟୋମ ତ୍ୱମୁ ଧରଣିରାତ୍ମା ତ୍ୱମିତି ଚ

ପରିଛିନ୍ନାମେବଂ ତ୍ୱୟି ପରିଣତା ବିଭ୍ରତିଗିରଂ

ନବିଦ୍ମସ୍ତ୍ଵତ୍ତତ୍ତ୍ଵଂ ବୟମିହ ହି ଯତ୍ତ୍ଵଂ ନ ଭବସି ।୨୬।

 

ତ୍ରୟୀଂତିସ୍ରୋବୃତ୍ତୀ ସ୍ତ୍ରିଭୂବନ ମଥୋ ତ୍ରୀନପି ସୁରା

ନକାରା ଦ୍ୟୈର୍ଦ୍ଦର୍ଣୈ ସ୍ତ୍ରିଭିରଭିଦଧର୍ତ୍ତୀର୍ଣ ବିକୃତି

ତୃତୀୟନ୍ତେ ଧାମ ଧ୍ଵନିଭିରବରୁନ୍ଧାନମଣୁଭିଃ

ସମସ୍ତଂ ବ୍ୟସ୍ତଂ ତ୍ୱାଂ ଶରଣଦ ଗୃଣାଜ୍ୟୋମିତି ପଦଂ ।୨୭।

 

ଭବଃଶର୍ଦ୍ଦୋରୁଦ୍ରଃ ପଶୁପତିରଥୋଗ୍ରଃ ସହମହାଂ

ସ୍ତଥା ଭୀମେଶାନାବିତି ଯଦଭିଧାନାଷ୍ଟକ ମିଦମ୍

ଅମୁଷ୍ମିନ୍ ପ୍ରତ୍ୟେକଂ ପ୍ରବିଚରତି ଦେବ ! ଶ୍ରୁତିରପି

ପ୍ରିୟାୟାସ୍ମୈ ଧାମ୍ନେ ପ୍ରଣିହିତ ନମସ୍ୟୋଽସ୍ମି ଭବତେ ।୨୮।

 

ନମୋ ନେଦିଷ୍ଠାୟ ପ୍ରିୟଦବ ! ଦବିଷ୍ଠାୟ ଚ ନମୋ,

ନମଃ କ୍ଷୋଦଷ୍ଠାୟ ସ୍ମରହର ମହିଷ୍ଠାୟ ଚ ନମଃ

ନମୋ ବର୍ହିଷ୍ଠାୟ ତ୍ରିନୟନ ! ଯବିଷ୍ଠାୟ ଚ ନମୋ

ନମଃ ସର୍ବସ୍ମୈତେ ତଦିଦମିତି ଶର୍ଦ୍ଦାୟ ଚ ନମଃ ।୨୯।

 

ବହୁଳ ରଳସେ ବିଶ୍ଵୋତ୍ ପତ୍ତୌ ଭବାୟ ନମୋନମଃ

ପ୍ରବଳ ତମସେ ତତ୍ ସଂହାରେ ହରାୟ ନମୋନମଃ

ଜନସୁଖକୃତେ ସତ୍ତୋଦ୍ରିକ୍ତୌ ମୃଡ଼ାୟ ନମୋନମଃ

ପ୍ରମହସି ପଦେ ନିସ୍ଵୈଗୁଣ୍ୟେ ଶିବାୟ ନମୋନମଃ ।୩୦।

 

କୁଶପରିଣତ କେତଃ କ୍ଲେଶବଶ୍ୟଂ କ୍ଵଚେଦଂ

କ୍ଵ ଚ ତବ ଗୁଣସୀମୋଲ୍ଲଙ୍ଘନୀ ଶଶ୍ଵଦୃଦ୍ଧିଃ

ଇତି ଚକିତମମନ୍ଦୀ କୃତ୍ୟ ମାଂ ଭକ୍ତିରାଧା-

ଦ୍ ବରଦ ଚରଣୟୋସ୍ତେ ବାକ୍ୟ ପୁଷ୍ପୋପହାରଃ ।୩୧।

 

ଅସିତଗିରି ସମସ୍ୟାତ୍ କଜ୍ଜଳଂ ସିନ୍ଧୁପାତ୍ରଂ

ସୂରତରୁବର ଶାଖା ଲେଖନୀ ପତ୍ରମୁର୍ଦ୍ଦୀ

ଲିଖତି ଯଦି ଗୃହୀତ୍ୱା ସାରଦା ସର୍ବକାଳଂ

ତଦପି ତବ ଗୁଣାନାମୀଶ ! ପାରଂ ନ ଯାତି ।୩୨।

 

କୁସୁମଦଶନନାମା ସର୍ବଗନ୍ଧର୍ବରାଜଃ

ଶିଶୁ ଶଶଧରମୌଳେ ର୍ଦ୍ଦେବଦେବସ୍ୟ ଦାସଃ

ସ ଖଳୁ ନିଜ ମହିମ୍ନେ । ଭ୍ରଷ୍ଟ ଏବାସ୍ୟ ରୋଷାତ୍

ସ୍ତବନମିଦମକାର୍ଷୀ ଦ୍ଦିବ୍ୟ ଦିବ୍ୟଂ ମହିମ୍ନଃ ।୩୩।

 

ସୁରବର ମୁନିପୂଜ୍ୟଂ ସ୍ଵର୍ଗ ମୋକ୍ଷୈକ ହେତୁଂ

ପଠତି ଯଦି ମନୁଷ୍ୟଃ ପ୍ରାଞ୍ଜଳିର୍ନାନ୍ୟଚେତାଃ

ବ୍ରଜତି ଶିବସମୀପଂ କିନ୍ନରୈଃ ସ୍ତୂୟମାନଃ

ସ୍ତବନ ମିଦମୋଘଂ ପୁଷ୍ପଦନ୍ତ ପ୍ରଣୀତମ୍ ।୩୪।

 

ଅସୁରସୁରମୁନୀନ୍ଦ୍ରୈ ରର୍ଚ୍ଚିତସ୍ୟେନ୍ଦୁ ମୌଳେ

ର୍ଗ୍ରଥିତ ଗୁଣ ମହିମ୍ନୋ ନିର୍ଗୁଣସ୍ୟେଶ୍ଵରସ୍ୟ

ସକଳ-ଗୁଣ-ବରିଷ୍ଠଃ ପୁଷ୍ପଦନ୍ତାଭିଧାନୋ

ରୁଚିମୟ ଲଘୁବୃତ୍ତୈଃ ସ୍ତ୍ରୋତ୍ରମେତଚ୍ଚକାର ।୩୫।

 

ଅହରହ ରନବଦ୍ୟଂ ଧୂର୍ଜଟେଃ ସ୍ତ୍ରୋତ୍ର ମେତତ୍

ପଠତି ପରମ ଭକ୍ତ୍ୟା ଶୁଦ୍ଧଚିତ୍ତଃ ପୁମାନ୍ ଯଃ

ସ ଭବତି ଶିବଲୋକେ ରୁଦ୍ରତ୍ତୁଲ୍ୟ ସ୍ତଥାଽତ୍ର

ପ୍ରଚୁରତର ଧନାୟୁଃ ପୁତ୍ରବାନ୍ କୀର୍ତ୍ତିମାଂଶ୍ଚ ।୩୬।

 

ମହେଶାନ୍ମାପରୋ ଦେବୋ ମହିମ୍ନୋ ନା ପରାସ୍ତୁତିଃ

ଅଘୋରାନ୍ମାପରୋ ମନ୍ତ୍ରୋ ନାସ୍ତିତତ୍ତ୍ଵଂ ଗୁରୋପରମ୍ ।୩୭।

 

ଦୀକ୍ଷାଦାନଂ ତପସ୍ତୀର୍ଥଂ ଜ୍ଞାନଂ ଯୋଗାଦିକାଃ କ୍ରିୟାଃ

ମହିମ୍ନସ୍ତବ ପାଠସ୍ୟ କଳାଂ ନାର୍ହନ୍ତି ଷୋଡ଼ଶୀମ୍ ।୩୮।

 

ଶ୍ରୀପୁଷ୍ପଦନ୍ତ-ମୁଖ-ପଙ୍କଜ-ନିର୍ଗତେନ

ସ୍ତୋତ୍ରେଣ କିଲ୍ଵି ଷହରେଣ ହରପ୍ରିୟେଣ

କଣ୍ଠ-ସ୍ଥିତେନ ପଠିତେନ ଗୃହସ୍ଥି ତେନ

ସଂପ୍ରୀଣିତୋ ଭବତି ଭୂତପତିର୍ମ୍ମହେଶଃ ।୩୯।

ଇତି ଶ୍ରୀପୁଷ୍ପଦନ୍ତପ୍ରଣୀତଂ

ଶିବ ମହିମ୍ନଃ ସ୍ତ୍ରୋତ୍ରମ୍ ।।